ତାଳଚେର:ବାଉଁଶଗଛ ପରିବେଶ ସୁରକ୍ଷା କରିବା ଦିଗରେ ମୁଖ୍ୟ ଭୂମିକା ରହିଛି । ବିଶେଷ କରି ଗାଁ ମୁଣ୍ଡରେ କିମ୍ବା ଫାର୍ମ ହାଉସ୍ ଗୁଡ଼ିକରେ ରହିଥିବା ବାଉଁଶବଣ ବଡ଼ଧରଣର ବାତ୍ୟା ପବନକୁ ଅଟକାଇ ଧନଜୀବନ କ୍ଷା କରିବା ଦିଗରେ ସହାୟକ ହୋଇଥାଏ । ର୍ପୂବରୁ ଲୋକମାନେ ବାଉଁଶରେ ଘର ଛପର କରିବା ସହିତ ନୌକାରେ ଆହୁଲା ପାଇଁ ବାଉଁଶକୁ ବ୍ୟବହାର କରୁଥିଲେ । ଏହି ବାଉଁଶରେ ଘରର ବିଭିନ୍ନ ପ୍ରକାର ଉପକରଣ ଯଥା ଜୁଲା, ବେତୁଲି, ଟୁକେଇ, ଝାମ୍ପି, ଡ଼ଲା, କୁଲା, ମୁଗୁରା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ । ଏବେ ସମୟ ବଦଳି ଯାଇଛି ବାଉଁଶ ଦ୍ୱାରା ପ୍ରସ୍ତୁତ ଏହି ସବୁ ଜିନିଷ ଆବଶ୍ୟକ ହେଉନଥିବା ବେଳେ ପ୍ଲାଷ୍ଟିକ୍ ଦ୍ୱାରା ଏସବୁ ଜିନିଷର ଚାହିଦା ବଢ଼ିଛି । ଯାହା ଫଳରେ ଗାଁ ବ୍ୟବସାୟୀ ମଧ୍ୟ ତାର କୌଳିକ ବୃତିକୁ ହରାଉଛି । ଘରଛପର ପାଇଁ ବାଉଁଶ ଦରକାର ହୋଇଥିବା ବେଳେ ଏବେ ଘର ଗୁଡ଼ିକ ସବୁ କଙ୍କ୍ରିଟ୍ ଛାତ ନିର୍ମିତ ହେଉଛି । ଯାହାକୁ ନେଇ ଏବେ ବାଉଁଶଗଛ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ନିକଟରେ ତାଳଚେର ସହର ଠାରୁ ଆରମ୍ଭକରି ଉପଖଣ୍ଡ ଅଂଚଳ ପର୍ଯ୍ୟନ୍ତ ଆଉ ବାଉଁଶଗଛ ଦେଖିବାକୁ ସେତେଟା ମିଳୁନାହିଁ । ହାତୀଙ୍କ ପ୍ରିୟ ଖାଦ୍ୟ ବାଉଁଶ, ଜଙ୍ଗଲରେ ଏହା ଲୋପ ପାଇ ଆସୁଥିବା ବେଳେ ହାତୀମାନେ ଗାଁ କିମ୍ବା ସହର ମୁହାଁ ହେବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବାଉଁଶ ଚାଷ କରିବାକୁ ଚାଷୀମାନଙ୍କୁ ପ୍ରତ୍ସାହନ ଯୋଗାଇବା ସହ ବିଭିନ୍ନ ଢ଼ଙ୍ଗରେ ବାଉଁଶଗଛ ରୋପଣ କରିବାକୁ ପ୍ରକୃତିପ୍ରେମୀ ମାନେ ମତପ୍ରକାଶ କରିଛନ୍ତି ।
