ପାକିସ୍ତାନ ଜେଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା! ଏଭଳି ଗୁଜବକୁ ନେଇ ଟେନସନ। ଇମ୍ରାନଙ୍କ ପରିବାରକୁ ଜେଲ୍ ପ୍ରଶାସନ ଭେଟିବାକୁ ନ ଦେବାରୁ ଏହାକୁ ନେଇ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାସ୍ତବରେ ଇମ୍ରାନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି। ସେ ଜୀବିତ ନା ମୃତ। କୌଣସି ଠୋସ୍ ଖବର ନ ପାଇବାରୁ ଇମ୍ରାନଙ୍କ ଭଉଣୀ ଦଳୀୟ ସମର୍ଥକଙ୍କ ସହ ଜେଲ୍ ବାହାରେ ବିକ୍ଷୋଭ ନାରାବାଜି କରିଥିଲେ। ୨୩ ଦିନ ହେଲା ପରିବାର ଲୋକଙ୍କୁ ଇମ୍ରାନଙ୍କ ସହ ଭେଟିବାକୁ ଦେଉନି ଜେଲ୍ ପ୍ରଶାସନ। ଅଧା ରାତି ପର୍ଯ୍ୟନ୍ତ ହାଇଭୋଲଟେଜ ବିରୋଧ ଦେଖିବାକୁ ମିଳିଥିଲା। ପରିବାର ଓ ସମର୍ଥକ ଆରୋପ ଲଦିଛନ୍ତି ଯେ, ଜେଲରେ ଇମ୍ରାନଙ୍କୁ ନିର୍ଯାତନା ଦିଆଯାଉଛି। ଯଦି ଇମ୍ରାନ ସୁସ୍ଥ, ତାହେଲେ ପରିବାର ଲୋକଙ୍କ ସହ ଭେଟିବାକୁ କାହିଁକି ଛାଡ଼ୁନି ଜେଲ୍ ପ୍ରଶାସନ। କୋର୍ଟଙ୍କ ଅନୁମତି ସତ୍ତ୍ୱେ ଜେଲ୍ ପ୍ରଶାସନ ଇମ୍ରାନଙ୍କ ୩ ଭଉଣୀଙ୍କୁ ତାଙ୍କ ସହ ଭେଟିବାକୁ ଅନୁମତି ଦେଉନି। ଏପରିକି ଇମ୍ରାନଙ୍କ ଓକିଲ ଯିଏ ପ୍ରତି ୧୫ ଦିନରେ ଇମ୍ରାନଙ୍କୁ ଭେଟୁଥିଲେ, ତାଙ୍କୁ ବି ଭେଟିବାକୁ ଦିଆଯାଉନି। ଇମ୍ରାନଙ୍କ ଦଳ ପିଟିଆଇ ବା ପାକିସ୍ତାନ ତହରିଫ୍-ଏ-ଇନସାଫ ଦଳ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି।

ଇମ୍ରାନଙ୍କ ଦେହ ଅସୁସ୍ଥରୁ ଆଉ କୁଆଡ଼େ ସିଫ୍ଟ କରିଦିଆଯାଇଛି ବୋଲି ଆରୋପ ଲଦୁଥିଲା ପିଟିଆଇ। ଇମ୍ରାନଙ୍କୁ ପାକିସ୍ତାନ ସରକାର ଓ ସେନା ଲମ୍ୱା ସମୟ ଧରି ନିର୍ଯାତନା ଦେଉଥିବାର ଆରୋପ ଲଦୁଛନ୍ତି ତାଙ୍କ ସମର୍ଥକ। ଜେଲ୍ ଭିତରେ ଇମ୍ରାନଙ୍କ ରହସ୍ୟମୟ ହତ୍ୟା ହୋଇଛି ବୋଲି ଆଫଗାନିସ୍ତାନ ଦାବି କରୁଥିଲା। ଆଫଗାନିସ୍ତାନ ଡିଫେନ୍ସ ନାମକ ଏକ୍ସ ପୋଷ୍ଟ ଏହି ଦାବି କରିଥିଲା। ଇମ୍ରାନଙ୍କୁ ଆର୍ମି ମୁଖ୍ୟ ଆସିମ ମୁନିର ଓ ଆଇଏସଆଇ ଇଙ୍ଗିତରେ ଜେଲରେ ହିଁ ହତ୍ୟା କରିଦିଆଯାଇଛି। ସେପଟେ ପାକିସ୍ତାନ ସରକାର ଏ ନେଇ ନୀରବତା ଭଙ୍ଗ କରିଛନ୍ତି। ରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି, ଇମ୍ରାନଙ୍କ ପାଇଁ ଜେଲ୍ ଭିତରେ ଫାଇଭ୍ ଷ୍ଟାର ସୁବିଧା ଉପଲବ୍ଧ ଅଛି। ଫାଇଭଷ୍ଟାର ହୋଟେଲ ଭଳି ଖାଦ୍ୟ ଦିଆଯାଉଛି। ପୁରା ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ରାଓ୍ୱଲପିଣ୍ଡି ଜେଲ୍ ପ୍ରଶାସନ ବି କହିଛି, ଇମ୍ରାନ ପୁରା ସୁସ୍ଥ ଅଛନ୍ତି। ସେ ଜେଲରେ ହିଁ ଅଛନ୍ତି। ଅଦିୟାଲା ଜେଲରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଖବର ମିଛ। ତାଙ୍କର ଉତ୍ତମ ଚିକିତ୍ସା କରାଯାଉଛି। ଅଗଷ୍ଟ ୨୦୨୩ରୁ ଇମ୍ରାନ ଜେଲରେ ଅଛନ୍ତି। ଏପ୍ରିଲ ୨୦୨୨ରେ ଅନାସ୍ଥା ପ୍ରସ୍ତାବ ଜରିଆରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇଦେଇଥିଲେ ବିରୋଧୀ। ଇମ୍ରାନଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାରରୁ ନେଇ ଆତଙ୍କବାଦ ଯାଏ, ଅନେକ ଗମ୍ଭୀର ମାମଲା ରୁଜୁ ହୋଇଛି। ଆଉ ଏହି ମାମଲାରେ ସଜ୍ଜା ବି ହୋଇଛି। ଇମ୍ରାନଙ୍କ ବିରୁଦ୍ଧରେ ୧୫୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଅନେକ ମାମଲାରେ ଦୋଷୀ ସହ ଅନେକ ମାମଲାରେ ମୁକ୍ତ ବି ହୋଇଛନ୍ତି।

